ଓଡ଼ିଆ ୟୁଜରର ସଂସ୍କୃତି: ଏକ ସଂକ୍ଷିପ୍ତ ପରିଚୟ

Written by:

ଯେତେବେଳେ ଓଡ଼ିଶା ନାମଟି ମନକୁ ଆସେ, ସେତେବେଳେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଆଦି ମାନସ ପଟରେ ବୁଦୁ ବୁଦ୍ ପରି ଉଙ୍କି ମାରେ। ଓଡ଼ିଶା, ପୂର୍ବ ଭାରତର ଭାଷା-ସାହିତ୍ୟ- ସଂସ୍କୃତି ସମୃଦ୍ଧ ଓ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଏକ ରାଜ୍ୟ। ବିଶ୍ୱଦରବାରରେ ଓଡ଼ିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଇ ଓଡ଼ିଶାକୁ ଗୌରବାନ୍ୱିତ କରିଛି ଶ୍ରୀ ଜଗନ୍ନାଥ ଏବଂ ଜଗନ୍ନାଥଙ୍କ ରଥଯାତ୍ରା। ଏହି ପ୍ରସିଦ୍ଧ ରଥଯାତ୍ରା ପୁରୀରେ ଆଶାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ଓ ଆଶାଢ଼ ଶୁକ୍ଲ ଦଶମୀରେ ଶେଷ ହୋଇଥାଏ। ତିନୋଟି ରଥରେ ରଥାରୁଢ଼ ହୁଅନ୍ତି ତିନି ଠାକୁର-ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ବଡ଼ଦାଣ୍ଡକୁ ଆସନ୍ତି। ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଜି ଓଡ଼ିଶା ବାହାରେ ଓ ଦେଶ ବାହାରେ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଜଗନ୍ନାଥ ଏବଂ ରଥଯାତ୍ରା ଏକ ଅନନ୍ୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ। କୁହାଯାଏ, ଓଡ଼ିଶାରେ ବାରମାସରେ ତେର ପର୍ବ। ଏମିତି କୌଣସି ମାସ ନାହିଁ, ଯେଉଁ ମାସରେ କିଛି ପର୍ବ ନାହିଁ। ହିନ୍ଦୁବହୁଳ ରାଜ୍ୟ ହୋଇଥିବାରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁସାରେ ଅନେକ ପର୍ବପର୍ବାଣୀ ହୋଇଥାଏ। ବୈଶାଖରେ ଅକ୍ଷୟ ତୃତୀୟା ଯେଉଁଦିନ କୃଷକମାନେ ଜମିରେ ଧାନ ବୁଣିବାର ଶୁଭ ଦିନ ଏବଂ ଏଇ ଦିନ ରଥକାର୍ଯ୍ୟ ମଧ୍ୟ ଆରମ୍ଭ ହୁଏ। ଜ୍ୟେଷ୍ଠ ମାସରେ ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଆଦି ପାଳନ କରାଯାଏ। ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀମାନେ ସ୍ୱାମୀମାନଙ୍କ ଦୀର୍ଘାୟୁ ପାଇଁ ବ୍ରତ ରଖନ୍ତି, ଶୀତଳ ଷଷ୍ଠୀ ମୁଖ୍ୟତଃ ସମ୍ବଲପୁରରେ ପାଳନ କରାଯାଏ ଏବଂ ଏହି ପର୍ବରେ ଶିବଙ୍କର ବିବାହ ହୋଇଥାଏ। ଆଶାଢ଼ରେ ବର୍ଷାର ପ୍ରଥମ ସ୍ପର୍ଶରେ ଓଡ଼ିଶାରେ ପାଳିତ ହୋଇଥାଏ ରଜ ପର୍ବ, ଏହା ତିନିଦିନ ଧରି ହୋଇଥାଏ, ପୃଥିବୀ ରଜସ୍ୱଳା ହୋଇଥାଏ ଓ ଏହି କାରଣରୁ କୃଷକମାନେ ଜମିରେ ହଳ ସ୍ପର୍ଶ କରନ୍ତି ନାହିଁ। ଏହି ପର୍ବର ପ୍ରଥମ ଆକର୍ଷଣ ହେଉଛି ଦୋଳି, ଏବଂ ସ୍ୱତନ୍ତ୍ରଭାବେ ପାନ ଓ ପୋଡ଼ପିଠା ଏହି ପର୍ବରେ ଖିଆଯାଇଥାଏ। ଭାଇକୁ ଚିରାୟୁ କରିବା ପାଇଁ ଉପକୂଳବର୍ତ୍ତୀ ଓଡ଼ିଶାରେ ଭଉଣୀମାନେ ଖୁଦୁରୁକୁଣୀ ଓଷା ଓ ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁନ୍ତିଆ ପାଳନ କରନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ଗୋରବପୂର୍ଣ୍ଣ ଅତୀତର ସ୍ମାରକୀ ସ୍ୱରୂପ ବାଲିଯାତ୍ରା ପାଳନ କରାଯାଏ, ମୁଖ୍ୟତଃ କଟକର ଗଡ଼ଗଡ଼ିଆ ଘାଟରେ ପ୍ରତିବର୍ଷ ଏହା ପାଳନ କରାଯାଏ। କେତେକ ପର୍ବପର୍ବାଣୀ କେବଳ ଓଡ଼ିଶାରେ ନୁହେଁ, ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ପାଳିତ ହୋଇଥାଏ, ଯେମିତି ଜନ୍ମାଷ୍ଟମୀ, ଗଣେଷ ଚତୁର୍ଥୀ, ଦଶହରା, ଦୀପାବଳି ଇତ୍ୟାଦି। ମାର୍ଗଶୀର ମାସରେ ଗୁରୁବାର ଦିନ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ, ଏହାକୁ ମାଣବସା ଗୁରୁବାର ମଧ୍ୟ କୁହାଯାଏ। ପୌଷମାସର ପୂର୍ଣ୍ଣିମା ଦିନ ପଶ୍ଚିମ ଓଡ଼ିଶାରେ ପୁଷପୁନି ପାଳନ କରାଯାଏ ଯାହା ଏକ କୃଷିଭିତ୍ତିକ ପର୍ବ ଅଟେ। ଏମିତି ଓଡ଼ିଶାରେ ବାରମାସରେ ତେର ପର୍ବ ହୋଇଥାଏ।

ଓଡ଼ିଶା ହସ୍ତଶିଳ୍ପ ପାଇଁ ମଧ୍ୟ ପ୍ରସିଦ୍ଧ। ପିତ୍ତଳ ଏବଂ ବେଲମେଟାଲ ବାସନ ଓ ପିତ୍ତଳରେ ତିଆରି ଅନ୍ୟ ସାମଗ୍ରୀ, ମାଟିହାଣ୍ଡି ଉପରେ ସୂକ୍ଷ୍ମ କାରୁକାର୍ଯ୍ୟ, ସିଲଭର ୱାୟାର, ଫିଲିଗ୍ରି କାର୍ଯ୍ୟ, କୁମ୍ଭାରର ମାଟି ତିଆରି ଜିନିଷ, କଟକର ତାରକସି କାମ, ପିପିଲିର ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ୀ ଓ ପୋଷାକପତ୍ର, କଳାତ୍ମକ ଶୃଙ୍ଗ କାର୍ଯ୍ୟ ପାଇଁ ଓଡ଼ିଶା ପ୍ରସିଦ୍ଧ। ଏସବୁ ଓଡ଼ିଶା ବାହାରେ ମଧ୍ୟ ଲୋକପ୍ରିୟ ହୋଇଛି।

ଖାଦ୍ୟପେୟରେ ମଧ୍ୟ ଓଡ଼ିଶା ସ୍ୱତନ୍ତ୍ର ଓ ଅନନ୍ୟ ଅଟେ। ଓଡ଼ିଶାରେ ଧାନ ପ୍ରଧାନ ଫସଳ ଓ ଭାତ ହେଉଛି ଓଡ଼ିଶାର ମୁଖ୍ୟ ଖାଦ୍ୟ। ପଖାଳଭାତ ଲୋକଙ୍କର ଖୁବ ପ୍ରିୟ ଅଟେ। ଓଡ଼ିଶାରେ ପିଠାର ଏକ ଅପୂର୍ବ ପରମ୍ପରା ଚଳିଆସିଛି। ଓଡ଼ିଶାର କାକରା, ଆରିସା, ମଣ୍ଡା, ଚକୁଳି, ପୋଡ଼ପିଠା କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଲୋକପ୍ରିୟ ହୋଇପାରିଛି। କେବଳ ପିଠା ନୁହେଁ, ଓଡ଼ିଶାର ରସଗୋଲା ମଧ୍ୟ ପ୍ରସିଦ୍ଧି ଲାଭ କରିଛି।

ଓଡ଼ିଶାର ଲୋକେ କଳାପ୍ରିୟ, ସାହିତ୍ୟ ଅନୁରାଗୀ ଅଟନ୍ତି, ଓଡ଼ିଆ ସାହିତ୍ୟ ଖୁବ ପ୍ରାଚୀନ ଓ ଉଚ୍ଚକୋଟୀର ଅଟେ। ଓଡ଼ିଆ ଭାଷା ମଧ୍ୟ ସ୍ୱତନ୍ତ୍ର ଏବଂ ଶାସ୍ତ୍ରୀୟ ଭାଷା ଅଟେ। ଲୋକଙ୍କର ମନୋରଞ୍ଜନର ମାଧ୍ୟମ ରୂପେ ଓଡ଼ିଶାର ଯାତ୍ରା (ଅପେରା) ଖୁବ ପ୍ରସିଦ୍ଧ ହେବା ସହିତ ଟିଭିରେ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ର ମଧ୍ୟ ଲୋକପ୍ରିୟ ଅଟେ। ପାଲା ହେଉଛି ଓଡ଼ିଶାର ଅନ୍ୟ ଏକ ମନୋରଞ୍ଜକ ଓଡ଼ିଆ ଗୀତି-ଲୋକନାଟ୍ୟ ଏବଂ ଦାସକାଠିଆ ହେଉଛି ସଙ୍ଗୀତ-ନାଟ କଳା, କିନ୍ତୁ ଏକବିଂଶ ଶତାବ୍ଦୀରେ ଏମିତି କଳାଗୁଡ଼ିକର ଆଦୃତି ହ୍ରାସ ପାଇବାରେ ଲାଗିଛି। ମୋଟ ଉପରେ ଓଡ଼ିଶା ହେଉଛି ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରାର ଏକ ଅଭିନବ ଦେଶ। ବିଶ୍ୱୀୟ ପରିବର୍ତ୍ତନରେ ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ହୋଇଆସୁଛି ଓ ତାରି କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଭାବିତ କରୁଛି। ଏବେ ଖାଇବା ପିଇବାରେ ଗୋବି ମଞ୍ଚୁରିଆନ, ନୁଡୁଲ୍ସ ପରି ଫାଷ୍ଟ ଫୁଡ୍ ଏବଂ କୋକୋ କୋଲା, ପେପସି ପରି ସଫ୍ଟ ଡ୍ରିଙ୍କ୍ସ ଓଡ଼ିଶାର ସବୁ ସହରରେ ଆଉ ମନୋରଞ୍ଜନର ମାଧ୍ୟମ ରୂପେ ସମସ୍ତଙ୍କ ପାଖେ Samsung, Mi ଆଦିର ମୋବାଇଲରେ YouTubeରେ ମୁଭି ଆଦି ଦେଖାଯାଉଛି। ଆଉ ଭାଷାକୁ ଦେଖିଲେ, ଓଡ଼ିଶା ବହୁଭାଷୀ ହେବାରେ ଆଗେଇ ଚାଲିଛି।

    Leave a Reply

    Your email address will not be published.